ଆମ ଶରୀରର ପ୍ରତ୍ୟେକ ଅଙ୍ଗ କୋଷରେ ହିଁ ଗଠିତ । ଏବଂ ପ୍ରତି କୋଷ ପାଇଁ ଅମ୍ଳଜାନର ଆବଶ୍ୟକତା ହୋଇଥାଏ । ଫୁସଫୁସ ଶ୍ୱାସକ୍ରିୟା ସମ୍ପାଦନ ପାଇଁ ମୁଖ୍ୟ ଅଂଶ ଅଟେ । ଫୁସଫୁସ ଛାତିର ଉଭୟ ପାର୍ଶ୍ୱରେ ରହିଥାଏ । ଯାହାର ସୁସ୍ଥତା ଉପରେ ଆମ ଜୀବନ ନିର୍ଭର କରିଥାଏ । ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ, ଧୂମପାନ, କ୍ଷତିକାରକ ରାସାୟନିକ ପଦାର୍ଥ, ଧୂଳି-ମାଟି ଏବଂ ଶୁଖିଲା ପବନ ଯୋଗୁଁ ବିଷାକ୍ତ ପଦାର୍ଥ ଫୁସଫୁସରେ ଜମା ହୋଇଯାଇଥାଏ । ଯେଉଁ କାରଣରୁ ଫୁସଫୁସର ଓଜନ ବଢ଼ିବା ସହ ଏହା କଠିନ ହେବା ସହ ଫୁଲି ଯାଇଥାଏ । ଯାହାଫଳରେ ଶ୍ୱାସ କଷ୍ଟ ହେବା ସହ ପରବର୍ତ୍ତୀ ସମୟରେ କର୍କଟ ଭଳି ଗମ୍ଭୀର ରୋଗ ଆଶଙ୍କା ମଧ୍ୟ ଥାଏ । ଫୁସଫୁସ କର୍କଟ ରୋଗକୁ ନେଇ ଲୋକଙ୍କୁ ସଚେତନ କରିବା ପାଇ ପ୍ରତିବର୍ଷ ଅଗଷ୍ଟ ପହିଲାରେ ବିଶ୍ୱ ଫୁସଫୁସ କର୍କଟ ଦିବସ (World Lungs Cancer Day) ପାଳନ କରାଯାଉଛି ।
ବିଶ୍ୱ ଫୁସଫୁସ କର୍କଟ ଦିବସ (World Lungs Cancer Day)
ବିଶେଷଜ୍ଞଙ୍କ ଅନୁସାରେ ଫୁସଫୁସ ସ୍ୱୟଂ ଏକ ସଫା କରୁଥିବା ଅଙ୍ଗ ଅଟେ । ପରିବେଶ କାରଣରୁ ଫୁସଫୁସରେ ବିଶାକ୍ତ ପଦାର୍ଥ ଜମିବା କାରଣରୁ ଫୁସଫୁସ ଧୀରେଧୀରେ ଦୁର୍ବଳ ହୋଇଯାଇଥାଏ । ଯଦିଓ ଫୁସଫୁସ ସୁସ୍ଥ ରଖିବା ପାଇଁ ଅନେକ ଉପାୟ ରହିଛି, ଯେଉଁଥିରେ ଛାତିରେ ଯନ୍ତ୍ରଣା ଶ୍ୱାସ ନେବାରେ କଷ୍ଟ ଅନୁଭବ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାସହିତ ଫୁସଫୁସର କାର୍ଯ୍ୟ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ।
ଫୁସଫୁସକୁ ରୋଗମୁକ୍ତ ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ
- ଷ୍ଟିମ ଥେରାପୀ
- କାଶ ପ୍ରଣାଳୀ
- ଫୁସଫୁସ ପାଇଁ ପ୍ରାଣାୟାମ
- ଧୂମପାନ ତ୍ୟାଗ
- ଫୁସଫୁସ ପାଇଁ ଆଣ୍ଟି-ଇନ୍ଫ୍ଲାମେଟୋରୀ ଖାଦ୍ୟ
ଷ୍ଟିମ ଥେରାପୀ
ଷ୍ଟିମ ଥେରାପୀ ମାଧ୍ୟମରେ ଫୁସଫୁସକୁ ବିଷାକ୍ତ ପଦାର୍ଥରୁ ମୁକ୍ତ କରାଯାଇପାରିବ । ଏହି ଚିକିତ୍ସା ପଦ୍ଧତିରେ ଜଳୀୟ ବାଷ୍ପକୁ ପ୍ରଶ୍ୱାସରେ ନିଆଯାଇଥାଏ । ଯାହା ବାୟୁପଥ ଏବଂ ଫୁସଫୁସରେ ଜମିଥିବା କଫକୁ ଢ଼ିଲା କରିଦେଇଥାଏ । ଯାହାଫଳରେ ନିଶ୍ୱାସ ପ୍ରଶ୍ୱାସ ଜନିତ ଯନ୍ତ୍ରଣାରୁ ତତକ୍ଷଣାତ୍ ଆରାମ ମିଳିଥାଏ ।
ଫୁସଫୁସକୁ ସଫା କରିବାର ପ୍ରାକୃତିକ ଉପାୟ – ନିୟନ୍ତ୍ରିତ କାଶ
କାଶ ହେଉଛି ଶରୀରର ବିଷାକ୍ତ ପଦାର୍ଥ ବାହାର କରିବାର ପ୍ରାକୃତିକ ଉପାୟ । ଏହା ମାଧ୍ୟମରେ ଫୁସଫୁସରେ ଜମିଥିବା ବର୍ଜ୍ୟବସ୍ତୁ ବାହାରକୁ ବାହାରି ଆସିଥାଏ । ଆୟୁର୍ବେଦ ବିଶେଷଜ୍ଞମାନେ ଫୁସଫୁସରେ ଯନ୍ତ୍ରଣା ଅନୁଭବ ସମୟରେ ସଚେତନ କାଶ ପାଇଁ ପରାମର୍ଶ ଦିଅନ୍ତି। କିନ୍ତୁ ପ୍ରାକୃତିକ କାଶ ପାଇଁ ଉପଯୁକ୍ତ ବିଧି ପାଳନ କରିବା ଆବଶ୍ୟକ । ଏବେ ଜାଣି ନିଅନ୍ତୁ କିପରି ଏହି ଉପାୟକୁ ଆପଣାଇ ପାରିବେ ।
କାଶ ପ୍ରଣାଳୀ
- – କାନ୍ଧକୁ ଆରାମ ଦେଇ ଚେୟାରରେ ବସନ୍ତୁ, ଉଭୟ ପାଦକୁ ଭୂମିରେ ସମତଳ ରଖନ୍ତୁ ।
- – ପେଟ ଉପରେ ଦୁଇ ହାତମୁଠାକୁ ଚାଫି ରଖିନ୍ତୁ ।
- – ଧୀରେଧୀରେ ଶ୍ୱାସ ଗ୍ରହଣ କରନ୍ତୁ ।
- -ପେଟକୁ ଭିତରକୁ ଚାପିବା ସହିତ ଆଗକୁ ଝୁଙ୍କି ଧୀରେଧୀରେ ଶ୍ୱାସ ତ୍ୟାଗ କରନ୍ତୁ ।
- – ଏହି ସମୟରେ ପାଟି ଖୋଲା ରଖିବା ସହ ସଚେଚନ ଭାବେ ୨ରୁ ୩ ଥର କାଶନ୍ତୁ ।
- – ଏହାପରେ ସ୍ୱାଭାବିକ ଭାବେ ନାକ ଦେଇ ଶ୍ୱାସ ଗ୍ରହଣ କରନ୍ତୁ ।
- -ବିଶ୍ରାମ କରନ୍ତୁ ଏବଂ ଏହାର ପୁନରାବୃତ୍ତି କରନ୍ତୁ ।
- – ୧୦ ମିନିଟ ପାଇଁ ଏହି କ୍ରିୟା କରନ୍ତୁ ।
ଫୁସଫୁସ ପାଇଁ ପ୍ରାଣାୟାମ
ଫୁସଫୁସକୁ ପ୍ରାକୃତିକ ଉପାୟରେ ସୁସ୍ଥ ରଖିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ଯୋଗ, ପ୍ରାଣାୟାମ । ନିୟମିତ ପ୍ରାଣାୟାମ କରିବା ଦ୍ୱାରା ଫୁସଫସ ସୁସ୍ଥ ରହିବା ସହ ରକ୍ତ ପ୍ରବାହ ସୁଗମ ହୋଇଥାଏ । ଏହି ଉପାୟରେ ଶରୀରରୁ ପ୍ରଭାବୀ ଢଙ୍ଗରେ କାର୍ବନ ଡାୟକ୍ସାଇଡ ବାହାରି ଯାଇଥାଏ ।
ଧୂମପାନ ତ୍ୟାଗ
ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆୟୁର୍ବେଦ ବିଶେଷଜ୍ଞମାନେ ଧୂମପାନ ଛାଡ଼ିବାକୁ ପରାମର୍ଶ ଦିଅନ୍ତି । କାରଣ ଯେତେବେଳେ ଆପଣ ଧୂମ ପାନ କରନ୍ତି , ଧୂଆଁ ତୁରନ୍ତ ଫୁସଫୁସକୁ ଆଘାତ କରିଥାଏ । ଏହି କାରଣରୁ, ବିଷାକ୍ତ ରାସାୟନିକ ପଦାର୍ଥ ରକ୍ତରେ ମିଶି ସମଗ୍ର ଶରୀରରେ ପହଞ୍ଚିଥାଏ । ଧୂମପାନ ଯୋଗୁ କର୍କଟ ରୋଗ ସହିତ ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ଥାଏ ।
ଫୁସଫୁସ ପାଇଁ ଆଣ୍ଟି-ଇନ୍ଫ୍ଲାମେଟୋରୀ ଖାଦ୍ୟ
ବାୟୁପଥରେ ସମସ୍ୟା ହେବା କାରଣରୁ ଶ୍ୱାସକଷ୍ଟ ହୋଇଥାଏ । ଏଥିରୁ ବର୍ତ୍ତିବାକୁ ଶରୀରକୁ ଆଣ୍ଟି-ଇନ୍ଫ୍ଲାମେଟୋରୀ ଖାଦ୍ୟ ଆବଶ୍ୟକ ହୋଇଥାଏ । ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଥିବା ସବୁଜ ପନିପରିବା, ଫଳ ଖାଇବାକୁ ପରାମର୍ଶ ଦିଅନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।