23/07/2022
କରୋନା ସଙ୍କଟ ଟଳିନଥିବାବେଳେ କାୟା ମେଲାଇ ଚାଲିଛି ମଙ୍କିପକ୍ସ ଭାଇରସ । ବିଶ୍ବର ୮୦ ଦେଶରେ ମଙ୍କିପକ୍ସ ସଂକ୍ରମଣ ବ୍ୟାପିଯାଇଥିବାବେଳେ ଶନିବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO), ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛି । ମାସକ ମଧ୍ୟରେ ମଙ୍କିପକ୍ସ ପ୍ରାୟ ୮୦ଟି ଦେଶକୁ ବ୍ୟାପିଯାଇଛି ଓ ମୋଟ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ୬ ଜଣ ମୃତ୍ୟୁବରଣ କରିଛନ୍ତି । ଭାରତରେ ମଧ୍ୟ ୩ଟି କେସ୍ ସାମ୍ନାକୁ ଆସିସାରିଛି । ସମସ୍ତ ମାମଲା କେରଳରେ ଦେଖାଦେଇଛି ।
ମାସକ ତଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ନିୟମ ସଂପର୍କିତ ଜରୁରୀକାଳୀନ କମିଟି ମଙ୍କିପକ୍ସ ସଂକ୍ରମଣ ସଂପର୍କରେ ସମୀକ୍ଷା କରିଥିଲା । ମଙ୍କିପକ୍ସ ସଂକ୍ରମଣ ବିଶ୍ବରେ ଚିନ୍ତାଜନକ ଭାବେ ଜନସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ ଆଧାନମ ଘେବ୍ରୟସ କହିଛନ୍ତି। ମଙ୍କିପକ୍ସ ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ ବୋଲି ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଥିଲା । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ । କିନ୍ତୁ ଏବେ ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକାଶ କରିଛି ।
ମଙ୍କିପକ୍ସ ମାମଲା ବିଶ୍ୱରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିବା ପରେ ଏହାକୁ ଗୁରୁତର ସହ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) । ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛି ଡବ୍ଲୁଏଚଓ । ପ୍ରାୟ ମାସକ ତଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ନିୟମ ସଂପର୍କିତ ଜରୁରୀକାଳୀନ କମିଟି ମଙ୍କିପକ୍ସ ସଂକ୍ରମଣ ସଂପର୍କରେ ସମୀକ୍ଷା କରିଥିଲା । ମାସକ ପରେ ଏବେ ବିଶ୍ବରେ ମଙ୍କିପକ୍ସ ୭୫ଟି ଦେଶକୁ ବ୍ୟାପିଯାଇଛି ଓ ମୋଟ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ୬ ଜଣ ମୃତ୍ୟୁବରଣ କରିଛନ୍ତି । ଏଣୁ ଏହାକୁ ନେଇ ଚିନ୍ତା ବଢିଯାଇଛି ।