ପୁଣିଥରେ ଉଦଭାଷିତ ହେବ ଶଙ୍କର ନଗରୀ କାଶୀର ପ୍ରଜ୍ଞାଲୋକ


The history of the construction and destruction of Srikashi Vishwanath temple by colors of life

Last updated: ୨୦ ନଭେମ୍ବର ୨୦୨୨

ଇତିହାସର ଅନ୍ଧାରୀ ସୁଡଙ୍ଗରୁ ବିଶ୍ୱାସର ଆବର୍ତ୍ତମାନ । ପୁଣିଥରେ ଉଦଭାଷିତ ହେବ ଶଙ୍କର ନଗରୀ କାଶୀର ପ୍ରଜ୍ଞାଲୋକ । ସନାତନ ସଂସ୍କୃତିର ପ୍ରମୁଖ ପୀଠ କାଶୀ ବିଶ୍ୱନାଥ ପୀଠ ଫେରିପାଇବ ମୂଳ ପୀଠର ଗାରିମା । ଜ୍ଞାନବାପୀ ପରିସରରେ କଥିତ ଶିବଲିଙ୍ଗ ଠାବ ପରେ ଏପରି ଆଶା ଉଜ୍ଜିବିତ ହୋଇଛି । ଏଯାଏ ମାମଲା କୋର୍ଟରେ ବିଚାରାଧିନ ରହିଛି । ପୂଜା ପାଇଁ ଅନୁମତି ଦେବାକୁ ହିନ୍ଦୁ ପକ୍ଷରୁ ଆବେଦନ ହୋଇଛି । ଯାହାର ଶୁଣାଣି ଆସନ୍ତା ଡିସେମ୍ବର ୨ ତାରିଖରେ ହେବାକୁ ଯାଉଛି ।

ବର୍ଷବର୍ଷ ଧରି ଜ୍ଞାନବାପୀ ମାମଲା ବିଚାରାଧୀନ ରହିଛି । ମସଜିଦ ସମ୍ମୁଖରେ ଥିବା ନନ୍ଦୀ ମୂର୍ତ୍ତି, ପରିସରରେ ଥିବା କୂପ ମଧ୍ୟରେ କଥିତ ଶିବଲିଙ୍ଗ ଠାବ ପରେ ଏହା ମସଜିଦ ନୁହେଁ ଶିବ ମନ୍ଦିର ହୋଇଥିବା ଦାବି କରିଛି ହିନ୍ଦୁ ପକ୍ଷ । ଏହାକୁ ନେଇ ମସଜିଦ ଭିତରେ ଭିଡିଓଗ୍ରାଫି ପାଇଁ ଅନୁମତି ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ବାରାଣସୀରେ ୧୬୦୦ ଖ୍ରୀଷ୍ଟାଦ୍ଦରେ ଔରଙ୍ଗଜେବଙ୍କ ଶାସନ ସମୟରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିବା ଅଭିଯୋଗ ରହିଛି । ପ୍ରଥମେ ୧୯୯୧ ମସିହାରେ ଏନେଇ ଆହ୍ଲାବାଦ ହୋଇକୋର୍ଟରେ ମାମଲା ରୁଜୁ ହୋଇଥିଲା ।

ଆପଣ ଜାଣନ୍ତି କି ହିନ୍ଦୁ ମନ୍ଦିର ଭଙ୍ଗ ଓ ଜ୍ଞାନବାପୀ ସ୍ଥାପନର ମୂଳ ଇତିହାସ

କୁତବୁଦ୍ଦୀନ ଆଇବାକ୍ ଭାଙ୍ଗିଥିଲେ ମୂଳ ମନ୍ଦିର ଓ ଟୋଡରମଲ ସ୍ଥାପନ କରିଥିଲେ ଶିବଲିଙ୍ଗ । ମୂଳ ବିଶ୍ୱନାଥ ମନ୍ଦିରକୁ ୧୧୯୪ ମସିହାରେ ଧର୍ମାନ୍ଧ ମହମ୍ମଦ ଘୋରୀଙ୍କ ସେନାପତି କୁତବୁଦ୍ଦୀନ ଆଇବାକ ଅର୍ଦ୍ଧାଧିକ ଅଂଶ ଭାଙ୍ଗି ଦେଇଥିଲେ । ପରେ ୧୪୦୦ ମସିହାରେ ହୁସେନ ଶାହ ଶର୍କୀ ମନ୍ଦିରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲେ ।

ଶଙ୍କର ନଗରୀ ଶ୍ରୀକାଶୀ ବିଶ୍ୱନାଥ ମନ୍ଦିରର ନିର୍ମାଣ ଓ ଧ୍ୱଂସ ଇତିହାସ

ଅଭିମୁକ୍ତେଶ୍ୱରରୁ ବିଶ୍ୱେଶ୍ୱର ଓ ବିଶ୍ୱେଶ୍ୱରରୁ ବିଶ୍ୱନାଥ ମନ୍ଦିର ନାମରେ ଏହି ପୀଠ ସାରା ଭାରତରେ ପରିଚିତ ହୋଇଥିବା ପୁରାଣ ପୃଷ୍ଠାରୁ ଜଣାପଡ଼େ । ଆଦିବିଶ୍ୱେଶ୍ୱର ମହାଦେବ ଶିବଙ୍କ କାଶୀ ନଗରୀ, ଅଭିମୁକ୍ତେଶ୍ୱର ପୀଠ ନାମରେ ପରିଚିତ ଥିଲା । ପରବର୍ତ୍ତୀ ସମୟରେ ଲୋକମୂଖରେ ବିଶ୍ୱନାଥ ନାମରେ ଏହି ଶୈବପୀଠ ପ୍ରସିଦ୍ଧ ହୋଇଥିଲା । ପଦ୍ମପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ ଓ କାଶୀଖଣ୍ଡରେ ମଧ୍ୟ ଅଭିମୁକ୍ତେଶ୍ୱରଙ୍କୁ ହିଁ ଆଦିଲିଙ୍ଗ ଭାବେ ଗ୍ରହଣ କରାଯାଇଛି ।

କାଶୀଖଣ୍ଡ ସହିତ ଅନେକ ପ୍ରାଚୀନ ଭାରତୀୟ ସାହିତ୍ୟରେ ପ୍ରଥମେ ଅଭିମୁକ୍ତେଶ୍ୱର ଶିବଙ୍କର ପ୍ରାଧାନ୍ୟ ରହିଥିଲା । ଭାରତରେ ମୋଗଲ ଶାସନ ପୂର୍ବରୁ ଶୈବପୀଠର ନାମ ବିଶ୍ୱେଶ୍ୱର ନାମରେ ପରିଚିତ ହୋଇଥିଲା । ଏପରିକି ତୀର୍ଥ ଚିନ୍ତାମଣି ପୁସ୍ତକରେ (ପୃଷ୍ଠା-୩୬୦) ନାମ ପରବର୍ତ୍ତନ ନେଇ ଉଲ୍ଲେଖ ରହିଛି । ଅଭିମୁକେଶ୍ୱର ପୀଠ ଲୋକମୂଖରେ ବିଶ୍ୱନାଥ ନାମରେ ପରିଚିତ ହୋଇଥିଲା । ୧୩୦୦ ଖ୍ରୀଷ୍ଟାବ୍ଦରେ ଶୈବପୀଠର ନାମ ପରବର୍ତ୍ତନ ହୋଇଥିବା ବିଶ୍ୱାସ କରାଯାଏ ।

୧୧୯୪ ମସିହାରେ ମହମ୍ମଦ ଘୋରୀଙ୍କ ସେନାପତି କୁତବୁଦ୍ଦୀନ ଆଇବାକ୍ ମୂଳ ବିଶ୍ୱନାଥ ମନ୍ଦିର ଭାଙ୍ଗି ଦେବାକୁ ପ୍ରୟାସ କରିଥିଲେ । ଏହାପରେ ଚତୁର୍ଦ୍ଦଶ ଶତାବ୍ଦୀରେ ହୁସେନ୍ ଶାହ ଶାର୍କୀ ଏହି ମନ୍ଦିରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲେ । ବିଶ୍ୱନାଥ ମନ୍ଦିରର ବର୍ତ୍ତମାନର ରୂପ ୧୭୮୦ ମସିହାରେ ଇନ୍ଦୋରର ମହାରାଣୀ ଅହିଲ୍ୟାବାଇ ହୋଲକର ନିର୍ମାଣ କରାଇଥିଲେ । ୧୯୮୩ ମସିହାରୁ ରାଜ୍ୟ ସରକାର ମନ୍ଦିରର ପରିଚାଳନା ଭାର ନେଇଛନ୍ତି ।

କାଶୀ ବିଶ୍ୱନାଥ ମନ୍ଦିରର ମହନ୍ତ ପରିବାରର ମୁଖ୍ୟ ଡକ୍ଟର କୁଳପତି ତିୱାରୀଙ୍କ ଅନୁଯାୟୀ, ୧୬୬୯ ସମିହାରେ ଔରଙ୍ଗଜେବ କାଶୀ ବିଶ୍ୱନାଥ ମନ୍ଦିରର ଏକ ଅଂଶ ଭାଙ୍ଗି ଜ୍ଞାନବାପୀ ମସଜିଦ ନିର୍ମାଣ କରିଥିଲେ। ଏହାପୂର୍ବରୁ ଚତୁର୍ଦ୍ଦଶ ଶତାବ୍ଦୀରେ ଯୌନପୁରର ଶାର୍କି ସୁଲତାନ ମଧ୍ୟ ମନ୍ଦିରର ଏକ ଅଂଶ ଭାଙ୍ଗି ଏକ ମସଜିଦ ନିର୍ମାଣ କରିଥିଲେ। ଏହାପରେ, ମୋଗଲ ସମ୍ରାଟ ଆକବର ୧୫୮୫ ମସିହାରେ ବିଶ୍ୱନାଥ ମନ୍ଦିର ନିର୍ମାଣ କରାଇଥିଲେ। ଆକବରଙ୍କ ଅର୍ଥମନ୍ତ୍ରୀ ଟୋଡରମଲ୍, ପଣ୍ଡିତ ନାରାୟଣ ଭଟ୍ଟଙ୍କ ସହାୟତାରେ ମନ୍ଦିରରେ ଶିବଲିଙ୍ଗ ସ୍ଥାପନ କରିଥିଲେ। ଔରଙ୍ଗଜେବଙ୍କ ଆକ୍ରମଣ ସମୟରେ ଏହି ଶିବଲିଙ୍ଗର ଉପର ଅଂଶ ନଷ୍ଟ ହୋଇଯାଇଥିଲା। ଆକ୍ରମଣ କାଳରେ ଶିବଲିଙ୍ଗକୁ ଅକ୍ଷତ ରଖିବାକୁ ଯାଇ ମହନ୍ତ ପରିବାରର ମୁଖ୍ୟ ଶିବଲିଙ୍ଗ ସହ ଜ୍ଞାନବାପୀ କୂଅକୁ ଡେଇଁ ପଡିଥିଲେ। ଅହିଲ୍ୟାବାଇ ହୋଲକରଙ୍କ ଦ୍ୱାରା ପୁନଃନିର୍ମାଣ ପରେ ପଞ୍ଜାବ ମହାରାଜା ରଣଜିତ ସିଂହ ୧୮୩୯ ମସିହାରେ ମନ୍ଦିରକୁ ସୁନା ଦାନ କରିଥିଲେ । ଯେଉଁଥିରେ ମନ୍ଦିର ଶିଖରକୁ ସ୍ୱର୍ଣ୍ଣମଣ୍ଡିକ କରାଯାଇଥିଲା ।

ପୂର୍ବତନ ମହନ୍ତ ଡକ୍ଟର କୁଳପତି ତିୱାରୀଙ୍କ ସୂଚନା ଅନୁସାରେ ସର୍ଭେ ରିପୋର୍ଟରେ ଯେଉଁ ସ୍ଥାନକୁ ବେସମେଣ୍ଟ କୁହାଯାଉଛି ତାହା ପ୍ରାଚୀନ ମନ୍ଦିରର ଏକ ମଣ୍ଡପ ଥିଲା । ବିଶ୍ୱନାଥ ମନ୍ଦିରରେ ଜ୍ଞାନ ମଣ୍ଡପ, ଦ୍ୱିତୀୟଟି ଶୃଙ୍ଗାର ମଣ୍ଡପ, ତୃତୀୟଟି ଐଶ୍ୱର୍ଯ୍ୟ ମଣ୍ଡପ ଏବଂ ଚତୁର୍ଥଟି ମୁକ୍ତି ମଣ୍ଡପ ନାମରେ ପ୍ରସିଦ୍ଧ ଥିଲା ।

ବାରାଣସୀର ଜ୍ଞାନବାପୀ କ୍ୟାମ୍ପସ ଭିତରେ ଥିବା ରହସ୍ୟ ମଧ୍ୟ ପ୍ରକାଶ ପାଇବାରେ ଲାଗିଛି। ବେସମେଣ୍ଟ ସହ ସଂଲଗ୍ନ ଏକ ଅଂଶ ଚତୁପାର୍ଶ୍ୱରେ କାନ୍ଥ ଦ୍ୱାରା ଆବଦ୍ଧ ରହିଛି। ଧାର୍ମିକ ସ୍ଥାନ ସହିତ ଜଡ଼ିତ ପ୍ରମାଣକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସିଲ୍ କରାଯାଇଛି ।

୨୬ ବର୍ଷ ପୂର୍ବେ କମିଶନର ତଦନ୍ତରୁ ସତ୍ୟ ପ୍ରକାଶ ପାଇଥିଲା

୨୬ ବର୍ଷ ପୂର୍ବେ ଜ୍ଞାନବାପୀ ପରିସରରେ କମିଶନ ପକ୍ଷରୁ ହୋଇଥିବା ସର୍ଭେରେ ହିନ୍ଦୁ ମନ୍ଦିରର ଧ୍ୱଂସାବଶେଷ ଠାବ ହୋଇଥିଲା । ଅନେକ ପ୍ରାଚୀନ ମୂର୍ତ୍ତି ଓ ବିଶ୍ୱେଶ୍ୱର ଶିବଲିଙ୍ଗର ଉପସ୍ଥିତି ନେଇ ନ୍ୟାୟଳୟ ଦ୍ୱାରସ୍ଥ ହୋଇଥିଲେ ହିନ୍ଦୁ ପକ୍ଷ । ଅଦାଲତରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ମସଜିଦ ପରିସରରେ ଏକ ପ୍ରାଚୀନ ମନ୍ଦିରର ଧ୍ୱଂସାବଶେଷ ରହିଥିବା ଉଲ୍ଲେଖ କରାଯାଇଥିଲା । ଏହାସହିତ ପରିସରରେ ପୂର୍ବ ପାର୍ଶ୍ୱରେ ଥିବା ହନୁମାନ ପ୍ରତିମୂର୍ତ୍ତି, ଗଙ୍ଗା ଏବଂ ଗଙ୍ଗେଶ୍ୱର ମନ୍ଦିର ମଧ୍ୟ ରହିଛି । ଏହି ରିପୋର୍ଟକୁ ଭିତ୍ତିକରି ୨୦୧୯ ମସିହାରେ କୋର୍ଟ ରାଡାର ଟେକ୍ନୋଲୋଜି ବ୍ୟବହାର କରି ସର୍ଭେ କରିବାକୁ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ହାଇକୋର୍ଟ ନିମ୍ନ ଅଦାଲତକୁ ମାମଲାର ଶୁଣାଣି ନିର୍ଦ୍ଦେଶ ଦେଇଥିଲେ ।

୧୯୯୬ ଜୁଲାଇ ୨୭ରେ ରାଜେଶ୍ୱର ପ୍ରସାଦ ସିଂଙ୍କୁ ସ୍ୱତନ୍ତ୍ର ଆଡଭୋକେଟ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା । ପ୍ରାଚୀନ ପ୍ରତିମାର ସୁରକ୍ଷା ପାଇଁ କୋର୍ଟରେ ଦାଖଲ ହୋଇଥିବା ମକଦ୍ଦମାରେ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା। ବିବାଦୀୟ ସ୍ଥାନ ଚାରିପାଖରେ ପ୍ରାଚୀନ କାଳରେ ନିର୍ମିତ ଶିଳାଲେଖ ପ୍ରଦର୍ଶିତ ହୋଇଥିଲା ଯାହା ପ୍ରାଚୀନ ମନ୍ଦିରର ଅବଶେଷ ପରି ପ୍ରତୀତମାନ ହେଉଅଛି ।

ପୂର୍ବ ପାର୍ଶ୍ୱରେ ଏକ ବଡ଼ ଚମ୍ପୂତରା ଓ ପଶ୍ଚିମ ପାର୍ଶ୍ୱରେ ମନ୍ଦିରର ଭଗ୍ନାବଶେଷ ରହିଛି । ପଶ୍ଚିମ ପାର୍ଶ୍ୱରେ ଥିବା ମନ୍ଦିରର ଧ୍ୱଂସାବଶେଷର ତିନୋଟି କବାଟ ବନ୍ଦ ହୋଇଯାଇଛି ଏବଂ ଧ୍ୱଂସାବଶେଷ ଉପରେ ଏକ ମସଜିଦ ନିର୍ମାଣ କରାଯାଇଛି। ରିପୋର୍ଟରେ ଏହା ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ଧ୍ୱଂସାବଶେଷର ପଶ୍ଚିମ ପାର୍ଶ୍ୱରେ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ ରହିଛି ।

ଏହି ମାମଲାରେ ତତ୍କାଳୀନ ସ୍ୱତନ୍ତ୍ର ଆଡଭୋକେଟ୍ କମିଶନର ଶ୍ରୀଗଣେଶ, ଶୃଙ୍ଗାରଗୌରୀ ଓ ମୋଦିଶ୍ୱର ଦେବତାଙ୍କୁ ପୂଜା କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହାସହିତ ପରିସରର ପୂର୍ବ ପରିକ୍ରମା ମାର୍ଗରେ ହନୁମାନ, ଗଙ୍ଗା ଦେବୀ ଏବଂ ଗଙ୍ଗେଶ୍ୱର ମନ୍ଦିରର ଉପସ୍ଥିତି ମଧ୍ୟ ଚିହ୍ନଟ ହୋଇଛି ।

ଇତିହାସ ଆଖିରେ ପଟ୍ଟି ବାନ୍ଧି କ୍ରୁର ଧର୍ମାନ୍ଧ ଶାଶକ ଭାରତର ଏହି ବିଶ୍ୱାସ ସ୍ଥଳ ଉପରେ ଶତଆଘାତ କରିଥିଲେ ବି ସମୟର ମାୟାଜାଲରେ ସେମାନଙ୍କ ପ୍ରବଞ୍ଚନା ଓ କୁଟିଳତାର ପର୍ଦ୍ଦାଫାସ ହୋଇସାରିଛି । ଭାରତର କୋଣ ଅନୁକୋଣରେ ଥିବା ପ୍ରାଚୀନ ମନ୍ଦିରକୁ ଭାଙ୍ଗି, ଭାରତୀୟ ସଂସ୍କୃତିକୁ ବିଲୀନ କରିବାକୁ ଚାହୁଁଥିବା ଏହି ଧର୍ମାନ୍ଧଙ୍କ ଲକ୍ଷ ଅପୂରଣୀୟ ହୋଇ ରହିଯାଇଛି । ମନ୍ଦିର ଭାଙ୍ଗିଯାଇଛି କିନ୍ତୁ ବିଶ୍ୱାସ ଭାଙ୍ଗିନାହିଁ ।

Reference
ପଦ୍ମପୁରାଣ
ବ୍ରହ୍ମବୈବର୍ତ୍ତ ପୁରାଣ
କାଶୀଖଣ୍ଡ
ତୀର୍ଥ ଚିନ୍ତାମଣି

Share this

Leave a Reply

Your email address will not be published. Required fields are marked *

You cannot copy content of this page