କମ୍ ଶୋଉଥିବା ଲୋକେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସାମ୍ନା କରିଥାନ୍ତି । ସେହପରି ଆବଶ୍ୟକତାଠାରୁ ଅଧିକ ଶୋଇଲେ ମଧ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ଥାଏ । କେତେ ସମୟ ଶୋଇବା ଉଚିତ, ଏହା ଆପଣଙ୍କ ଜୀବନଶୈଳୀ, ଖାଦ୍ୟ ଓ ଶରୀର ଉପରେ ନିର୍ଭର କରିଥାଏ । କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ପ୍ରାୟ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ ହୋଇଥିବାବେଳେ ଶାରୀରିକ ପରିଶ୍ରମ କରୁନଥିବା ବ୍ୟକ୍ତିଙ୍କ ଶରୀର ପାଇଁ ନିଦ୍ରା ସମୟ କମ୍ ହୋଇଥାଏ । ଆୟୁର୍ବେଦ ଅନୁସାରେ ରାଜସିକ, ତାମସିକ ଖାଦ୍ୟ ଯୋଗୁଁ ନିନ୍ଦ୍ରା ସମୟ ମଧ୍ୟ ବୃଦ୍ଧି ପାଇଥାଏ ।
ଆପଣ ଏପରି ଶୁଣିଥିବେ ଲୋକମାନେ ରାତିରେ ଶୀଘ୍ର ଶୋଉଥିଲେ ବି ସକାଳୁ ଶୀଘ୍ର ଉଠିପାରନ୍ତି ନାହିଁ । ଏପରିକି ଅନେକ ସମୟରେ ନିଦ୍ରା ସମୟ ୮ ଘଣ୍ଟାରୁ ଅଧିକ ରହିଥାଏ । ଯଦି ଆପଣ ବି ଏହି ବର୍ଗର ବ୍ୟକ୍ତି ବିଶେଷ ହୋଇଥାନ୍ତି, ସତର୍କ ହୋଇଯିବା ଜରୁରୀ । କାରଣ କମ୍ ଶୋଇବା ପରି ଅଧିକ ଶୋଇବା ମଧ୍ୟ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି କରିଥାଏ । ଆସନ୍ତୁ ଜାଣିନେବା ଅଧିକ ଶୋଇବା ଫଳରେ ହେଉଥିବା ସମସ୍ୟା ବିଷୟରେ ବିସ୍ତୃତ ସୂଚନା ।
ଡାଇବେଟିସ-
ଅଧିକ ସମୟ ଶୋଉଥିବା ବ୍ୟକ୍ତି ଶାରୀରିକ ଭାବେ ସକ୍ରିୟ ରହୁନଥିବାରୁ ସୁଗାର ବଢ଼ିବା ଆଶଙ୍କା ଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ୯ ଘଣ୍ଟାରୁ ଅଧିକ ଶୋଉଥିବା ବ୍ୟକ୍ତିଙ୍କ ଶରୀରରେ ଖୁବଶୀଘ୍ର ସୁଗାର ବଢ଼ିଥାଏ ।
ମୁଣ୍ଡ ବିନ୍ଧା-
ଅନେକ ସମୟରେ ଅଧିକ ଶୋଇ ଉଠିବା ପରେ ମୁଣ୍ଡ ବିନ୍ଧା ପରି ସମସ୍ୟା ଦେଖା ଦେଇଥାଏ । ଅଧିକ ଶୋଇବା ପରେ ଶରୀରରେ ସ୍ନାୟବିକ ଦୁର୍ବଳତା ଦେଖାଦେଇଥାଏ ।
ହୃଦରୋଗ-
ଆମେରିକାନ ଏକାଡେମୀ ଅଫ ସ୍ଲିପ ମେଡିସିନରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅଧିକ ଶୋଉଥିବା ଲୋକେ ହୃଦୟ ସମ୍ବନ୍ଧୀୟ ରୋଗର ଶିକାର ହୋଇଥାନ୍ତି । ୯ରୁ ୧୧ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କ ମଧ୍ୟରେ ହୃଦ ରୋଗ ହେବା ସମ୍ଭାବନା ୩୮ ପ୍ରତିଶତ ବଢ଼ିଯାଇଥାଏ ।
ଡିପ୍ରେସନ-
ଆବଶ୍ୟକତାଠାରୁ ଅଧିକ ଶୋଇବା ଡିପ୍ରେସନର କାରଣ ହୋଇଥାଏ । ଏହାସହିତ ଅଧିକ ଶୋଇଲେ ସ୍ନାୟବିକ ଦୁର୍ବଳତା ଦେଖାଦେଉଥିବାରୁ ବ୍ୟକ୍ତି ନିଦରୁ ଉଠିବା ପରେ ବି ସଠିକ ଭାବେ କାର୍ଯ୍ୟ କରିପାରନ୍ତି ନାହିଁ ।
ପିଠି ଯନ୍ତ୍ରଣା-
ଚେୟାରରେ ବସି ଘଣ୍ଟା ଘଣ୍ଟା କାମ କରୁଥିବା ଲୋକେ ଅଧିକ ସମୟ ଯାଏ ଶୋଇରହିଥାଆନ୍ତି । ଏହାଫଳରେ ପିଠି ଯନ୍ତ୍ରଣା, ଗଳା ଯନ୍ତ୍ରଣା, କାନ୍ଧ ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ ।
ପୃଥୁଳତା-
ଅଧିକ ସମୟ ଶୋଇବା, ଶାରୀରିକ ଭାବେ ସକ୍ରିୟ ନରହିବା ସହିତ ସମାନ । ଅଧିକାଂଶ ସମୟ କେବଳ ଖାଇବା, ବସିବା ଓ ଶୋଇବାରେ ସମୟ ବିତାଉଥିବା ବ୍ୟକ୍ତିଙ୍କ ଶରୀରରେ ଚର୍ବି ବୃଦ୍ଧି ପାଇଥାଏ । କେବଳ ଏତିକି ନୁହେଁ ଏହାଫଳରେ ପାଚନ କ୍ରିୟା ସ୍ଥାୟୀଭାବେ ଦୁର୍ବଳ ହୋଇଯାଇଥାଏ । ଦୀର୍ଘଦିନ ଧରି ଏପରି ସମସ୍ୟା ଲାଗ ରହିଲେ ଏହା ଶରୀରରେ ଗମ୍ଭୀର ରୋଗ ସୃଷ୍ଟି ହୋଇଥାଏ ।