Updated 18/07/2022
୪ ଦିନ ମଧ୍ୟରେ ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ । ସୋମବାର କେରଳର କନ୍ନୁର ସହରରେ ଆଉ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୧୪ ତାରିଖର କେରଳର କୋଲ୍ଲମ ଜିଲ୍ଲାରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଦ୍ୱିତୀୟ ସଂକ୍ରମଣ ପରେ ରାଜ୍ୟର ୫ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି ।
ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ (monkeypox virus)
କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ ସୂଚନା ଅନୁସାରେ କନ୍ନୁରରେ ୩୧ ବର୍ଷିୟ ଯୁବକ ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ୧୩ ଜୁଲାଇରେ ଦୁବାଇରୁ ଆସି ମାଙ୍ଗାଳୁରୁ ବିମାନ ବନ୍ଦରରେ ପହଞ୍ଚିଥିଲେ । ୧୪ ତାରିଖରେ ଚିହ୍ନଟ ହୋଇଥିବା ୩୫ ବର୍ଷିୟ ବ୍ୟକ୍ତି ମଧ୍ୟ UAEରୁ ଫେରିଥିଲେ। ସଂକ୍ରମଣ ବୃଦ୍ଧିକୁ ନେଇ କେରଳର ୫ ଜିଲ୍ଲା ତିରୁଅନନ୍ତପୁରମ, କୋଲ୍ଲମ, ପଠାନମଥିଟ୍ଟା, ଅଲ୍ଲାପ୍ପୁଝା, ଓ କୋଟ୍ଟାୟମରେ ହାଇଆଲର୍ଟ ଜାରି ହୋଇଛି । ଏବେ ଦୁବାଇରୁ ଫେରିଥିବା ଦ୍ୱିତୀୟ ମଙ୍କିପକ୍ସ ସଂକ୍ରମିତଙ୍କୁ ପରିୟାରମ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି । ଏବେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସରକାର ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିଛନ୍ତି । ଯଦିଓ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଙ୍କିପକ୍ସ ନେଇ ନିର୍ଦ୍ଦେଶମାନା ଜାରି କରିଥିଲେ । ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଟେଷ୍ଟିଂ ସହିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି । ଏବେ ଭାରତ ସମେତ ବିଶ୍ୱର ୭୬ ଦେଶରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଦେଶରୁ ଯାତ୍ରୀମାନଙ୍କ ପାଇଁ ନୂଆ ଗାଇଡଲାଇନ ଜାରି ହୋଇଛି । ଯାତ୍ରୀମାନେ ଅସୁସ୍ଥ ଲୋକଙ୍କଠାରୁ ଦୂରେଇ ରହିବା ସହ ପଶୁ, ପକ୍ଷୀଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ଆଫ୍ରିକାରେ ପ୍ରସ୍ତୁତ ପ୍ରଶାଧନ ସାମଗ୍ରୀ ବ୍ୟବହାର ନକରିବା ପାଇଁ କୁହାଯାଉଛି । ପଶୁ, ପକ୍ଷୀଙ୍କ ସଂସ୍ପର୍ଶରେ ଆସିଥିବା କପଡ଼ା ବ୍ୟବହାର ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ସନ୍ଦିଗ୍ଧ ମଙ୍କିପକ୍ସ ରୋଗୀ ଚିହ୍ନିବେ କିପରି?
ଯେଉଁ ବ୍ୟକ୍ତି ଗତ ୨୧ ଦିନ ମଧ୍ୟରେ ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଥିବେ, କିମ୍ବା ରୋଗର ଲକ୍ଷଣ ପ୍ରକାଶ ପାଉଥିବ, ସେମାନଙ୍କୁ ସନ୍ଦିଗ୍ଧ ବର୍ଗରେ ରଖାଯାଉଛି । ଲକ୍ଷଣ ଗୁଡ଼ିକ ମଧ୍ୟରେ ମୁଣ୍ଡବିନ୍ଧା, ଜ୍ୱର, ମାଂସପେଶୀରେ ଯନ୍ତ୍ରଣା, ଦୁର୍ବଳତା ରହିଛି ।
୭୬ଟି ଦେଶରେ ୧୨,୦୦୦ରୁ ଅଧିକ ରୋଗୀ ଚିହ୍ନଟ
ଏବେସୁଦ୍ଧା ୭୬ଟି ଦେଶରେ ୧୨, ୭୦୧ ଜଣ ପଙ୍କିପକ୍ସ ପଜିଟିଭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୟୁରୋପରୁ ସର୍ବାଧିକ ୯,୭୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବ୍ରିଟେନ, ସ୍ପେନ, ଆମେରିକା, ଜର୍ମାନୀ, ଫ୍ରାନ୍ସ, ପର୍ତ୍ତୁଗାଲ, କାନାଡ଼ା, ନେଦରଲାଣ୍ଡ, ଇଟାଲୀ, ଓ ବେଲଜିୟମରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସରେ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଛି ।
WHO ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୨ଟି ମଙ୍କିପକ୍ସ ଷ୍ଟ୍ରେନ ବ୍ୟାପୁଛି । କଙ୍ଗୋ ଷ୍ଟ୍ରେନ ଓ ଆଫ୍ରିକା ଷ୍ଟ୍ରେନର ମୁକାବିଲା କରିବାରେ ଚେଚକ ଭ୍ୟାକସିନ ୮୫% ସମର୍ଥ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।