ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଛୁଇଁବ ରଜ। ମାଟି ଓ ମୌସୁମୀର ମିଳନର ପର୍ବ … ଓଡ଼ିଶାର ଏକ ପାରମ୍ପରିକ ପର୍ବ ରଜ । ବସୁଧା, ପ୍ରକୃତି ମାତାର ଅବଦାନକୁ ସ୍ମରଣ କରିବାର ମହାର୍ଘ୍ୟ ପରମ୍ପରା ହେଉଛି ରଜ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୋଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଏବଂ ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ।
ମାଟିର ଭୁରୁଭୁରୁ ଗନ୍ଧକୁ ହିଁ ଅପେକ୍ଷା…
ଆଦ୍ୟ ଆଷାଢର ପ୍ରଥମ ବାରିପାତକୁ ଅପେକ୍ଷା । ମାଟିର ଭୁରୁଭୁରୁ ଗନ୍ଧକୁ ହିଁ ଅପେକ୍ଷା…ପୃଥିବୀ ମାତା ଋତୁମତୀ ହେବା ଖୁସିରେ ଉତ୍ସବ ମୁଖର ହେବ ପରିବେଶ । ଶରୀର ପାଇଁ ବିଶ୍ଵାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜ ପର୍ବ । ରଜ ପରେ ହିଁ ଚାଷ କାର୍ଯ୍ୟ ଆରମ୍ଭ ହେବ । ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ବସିଥିବା ଚାଷୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ବି ଏଇ ତିନିଦିନ ତା ପାଇଁ ବିଶ୍ରାମର ବେଳ । ରଜରେ ଭୁଇଁରେ ଖାଲି ପାଦରେ ଚାଲିବା ମନା, କର୍ଷଣ ବି ମନା ।
ରଜ ପର୍ବର ମହତ୍ତ୍ଵ
ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜସ୍ୱଳା । ବର୍ଷାର ଆଗମନରେ ପୃଥିବୀ ଋତୁମତୀ ହେବାର ଅର୍ଥ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନେ ରଜ ଦୋଳି ଓ ପୁଚି ଖେଳରେ ସମୟ ବିତାଇ ଥାଆନ୍ତି । ପୁଅମାନେ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ରଜ ପାଳନ କରନ୍ତି । ରଜପାନ, ପୋଡ଼ପିଠା, ରଜଦୋଳି ଏବଂ ଭ୍ରମଣର ପ୍ରିୟପର୍ବ ହେଉଛି ରଜ ।
କୃଷିଭିତିକ ସାମାଜିକ ଚଳଣିରେ ବେଶ ଗୁରୁତ୍ୱପୂର୍ଣ୍ଣ ମନୋରଞ୍ଜନର ଆସର ଯୋଗାଇଥାଏ ରଜ । ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ହେଉଛି ରଜ । ପୃଥିବୀର ମାତୃତ୍ଵ କାମନା କରି କରି ଜୟଗାନ କରିଥାଏ କୃଷକ । ଏପଟେ ଦୋଳିରେ ଛୁଟିଥାଏ- କୁଆଁରୀଙ୍କ ରଜଗୀତର ଲହରା ସ୍ଵର । ….
ରଜଦୋଳି ଗୀତ:
- ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ ॥
- ରଜ ଦୋଳି କଟ କଟ, ମୋ ଭାଇ ମଥାରେ ସୁନା-ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ ॥
- ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ ॥
- ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ, ତୋଫା ହେବଟି ଧୁଳିଆ ॥
- ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି ॥
- ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ॥
- ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା ॥
- ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି ॥
- ଶଙ୍ଖ ମଲମଲ ଗିନା, ଦରଦ ଜାଣେଲୋ ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା ॥
- ନିମ୍ବର ବୁକେ ଚନ୍ଦନ, ଦେବତା ଗଢ଼ାଇଲା ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ ॥
- ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି ॥
- ଚାନ୍ଦରେ କଳଙ୍କ ଚିହ୍ନ, ନବ ଯଉବନି କିଆଁ ଗୁମାନ ଲୋ, ଆସିଲେଣି ଜୀବ ଧନ ॥
- ପୋଖରୀ ତୁଠ ପଥର, ତତେ ଦେଖିଥିଲି ବାଲି ବନ୍ଧରେ ଲୋ, ଆଖି ଥିଲା ଏଣେ ତୋର ॥
- ସାହାଡ଼ା ଗଛର ଛାଇ, ସେଦିନ କଥାକି ତୋ ମନେ ନାଇଁ ଲୋ, ଏତେ ଆନମନା କାହିଁପାଇଁ ॥
- ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲରେ, ଭାଙ୍ଗି ଦେବି ତୋର ଗାଲ ॥
- ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକିଗାଲି ଲୋ, ଦେଖାଉଛୁ କେତେ ବେଲି ॥
- ବାଜିଲା ତେଲିଙ୍ଗି ବାଜା, ରସିକ ଯେ ଜାଣେ ସ୍ନେହର ମଜା ରେ, ସେ ସିନା ମୋମନ ରଜା ॥
- ଲୁଚିଗଲା ମେଘେ ଚାନ୍ଦ, ଦୋଳି କଟକଟ କରେ ଶବଦ ଲୋ, ବହନ୍ତେ ପବନ ମନ୍ଦ ॥
- ଦୋଳି ହୁଏ ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ ॥
- ପରବତେ ଜଳେ ନିଆଁ, ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, ପୁଣି ହେବ ବାଆଁ ଡାଁ ॥
- ଉତୁରି ପଡ଼ିଲା ଦୁଧ, ଉଙ୍କି ମାରି ମାରି ଅନାଉ ଥାଏ ଲୋ, ନନ୍ଦର ଉଦିଆ ଚାନ୍ଦ ॥
- ଛତରା ବଜାର ହାଟ, ଛକି ବସିଥିବ ଚଗଲା କାହ୍ନୁଲୋ, ଛନ୍ଦରେ ମାଗିବ ଘାଟ ॥
- ଥୋଡ଼ମଞ୍ଜା କଲି ରାଇ, କଣ ନ କଲେ କଳା କହ୍ନାଇ ଲୋ, ମୁହଁକୁ ଯା ନ ଅନାଇ ॥
- କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ ଲୋ, କଣ୍ଟ ଦେଇ ଗଲେ କାହିଁ ॥
- ସାଉଁଟିଲି ବିଲ ଘଷି, କିମ୍ପାଇଁ ରାଧିକା ବସିଲା ରୁଷି ଲୋ, ଫୁଲ ଶେଜ ହେଲା ବାସି ॥
- କଟକଟ ହୁଏ ଦୋଳି, ଭାଉଜଙ୍କ ମନ ଯାଇଛି ଜଳି ଲୋ, ଭାଇ ବିଦେଷୁ ନଇଁଲେ ବୋଲି ॥
- ଗରଜେ କଳା ବଉଦ, ମୋତେ ତ ବରଷ ହେଲା ଚଉଦ ଲୋ, ଗଲାଣି ପିଲା ସୁଆଦ ॥
- ବଇଁଶୀ ବାଜିଲା କୁଞ୍ଜେ, ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ ବାଜେ ॥
- ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ ॥
- ଛତୁ ଫୁଟେ ବରଷାରେ, ଛତରାଟା କେତେ ଛଇ ଦେଖାଉ ରେ, ଅଛି କି ତୋ ଭରଷାରେ ॥
- କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବେ ରେ, ମନ ଜାଣି ଖଞ୍ଜି ଦେବ ॥
- ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ ॥
- ଅଦିନେ ପଣସ ସିଠା, ବଚନରେ ଯାର ନଥଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା ॥
- ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚା ଲୋ, ନ ଦେବ ପଛଘୁଞ୍ଚା ॥
- ମଇଁଷି ଶିଙ୍ଗରେ ଖସା, ମଉସା ପୁଆଟା ଏଡ଼େ ସହସା ଲୋ, ମତେ କଲା ଲୋକହସା ॥
- ଜାରା ମାରିଦେଲା ବାଣ ଯାହାଠାରେ ଯାର ମିଶିଛି ମନ ଲୋ, ସେହି ଜାଣେ ତାର ଗୁଣ ॥
- କାଟି ଗଲି କଳାଦୁବ, ଝିଅ ଜନମରେ ଏତିକି ଲାଭ ଲୋ, ବନ୍ଧୁ ଘର ଅରଜିବ ॥
- କାଳୀଗାଇ ଧୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି ॥
- ପାନ ଖିଆ ରସିକ ପାଟି, ଖୋଜି ବୁଲୁଥିଲା ରାଜାଙ୍କ ହାତୀ, ଢାଳି ଦେଇଗଲା ଶିରରେ, ରାଜା ହୋଇଗଲେ ରଜରେ ॥
ଏବେ କମି କମି ଆସୁଛି ଖରାର ଦର୍ପ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବୃକ୍ଷରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରେ, ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ । ମୃଗଶିରା ନକ୍ଷେତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ରନୁସାରେ କୌଣସି କୁମାରୀର ଋତୁସ୍ରାବ ପ୍ରଥମ ତିନିଦିନ ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ, ଓ ରଜକୀ ହୋଇଥାଏ । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ । ତେଣୁ ରଜର ଶେଷ ଦିନରେ ବାସୁମତି ସ୍ନାନ ନୀତି ପାଳନ କରାଯାଏ । ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି ।
ରଜ ଚାଷୀଘର ପାଇଁ ମଉଜ ମଜଲିସର ଉତ୍ସବ ହୋଇଥିବା ବେଳେ, ଧର୍ମୀୟ ଭାବନା ସହ ଯୋଡି ହୋଇ ରହିଛି କାହିଁ କେଉଁ କାଳରୁ । ଶ୍ରୀମନ୍ଦିରରେ ସପ୍ତାବରଣ ମୂର୍ତ୍ତି ମଧ୍ୟରେ ଭୂଦେବୀ ସ୍ଥାନିତ । ଏଥିପାଇଁ ଶ୍ରୀମନ୍ଦିରରେ ମଧ୍ୟ ରୀତିନୀତି ସହ ରଜପର୍ବ ପାଳନ କରାଯାଇଥାଏ ।
ଯଦିଓ କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ନେଇ ଚଳିତ ବର୍ଷ ମଧ୍ୟ ରଜ ପର୍ବ ଫିକା ପଡ଼ିବା ଆଶଙ୍କା ରହିଛି । ତଥାପି ଓଡ଼ିଶାବାସୀଙ୍କ ରଜ ପାଳନରେ ଆଗ୍ରହ କମିନାହିଁ ।