Odia Poem- MATI O FULARA KABITA
ତୁମ ପୃଥିବୀରୁ ଦି’ମୁଠା ସ୍ୱପ୍ନ ନେଇ ଫେରିବା ମୁହୂର୍ତ୍ତରେ
ସାରା ଦୁନିଆ ଅମୃତମୟ ଲାଗୁଥିଲା ମତେ,
କିନ୍ତୁ ମୁଁ କି ଜାଣିଥିଲି
ହାତ ମୁଠିରେ ବନ୍ଦୀ ଦି’ମୁଠା ସ୍ୱପ୍ନ ପାଇଁ
ହରେଇ ବସିବି ଆପଣା ପୃଥିବୀରେ ହସିଖେଳି ଜୀବନ ଜିଇଁବାର ଯୋଗ୍ୟତା
ଦି’ପାଦ ଭୂଇଁକୁ ମୋର ବୋଲି କହିବାର କ୍ଷମତା ।
ବରଂ ଏମିତି ଇ ହବାର ଥିଲା
ଆମ ପୃଥିବୀରେ ଯେତେ ସବୁ ବିଲ, ବଣ ନଈପଠା
ସବୁଠି ଭରିଯିବ ତୁମ ପୃଥିବୀର ମିଠା ବାସ୍ନା
ଯେଉଁ ବାସ୍ନାକୁ ଲୁଟିବା ପାଇଁ
ମୋ ଘର ଅଗଣାର ପ୍ରତିଟି କୋଣେ
ଫୁଲେଇ ଫୁଲଙ୍କ ଆସର ବସିବ
ପ୍ରତିଟି ସଞ୍ଜ ଓ ସକାଳେ
ଏଇଥି ପାଇଁ ଯେ
ସେ ବାସ୍ନାକୁ ଆଉ କିଏ ଲୁଟି ନେବ କାଳେ ।
ପରେପରେ ତୁମେ ଆସିବ
ଇଚ୍ଛାର ଇଶ୍ୱରୀ ସାଜି, ହୃଦେ ତୁମ ପାଦ ଚିହ୍ନ ଥାପି,
ପରନ୍ତୁ ଏମିତି ମୁହୂର୍ତ୍ତ ଆସିବାର ଅନେକ ଆଗରୁ
ପାଲଟି ସାରିଥିଲି ମୁଁ ଚିରହରିତ ଅରଣ୍ୟର ମୁଠାଏ ଅନ୍ଧାର
ଶୂନ୍ୟର ଶୂନ୍ୟତା ମଧ୍ୟେ ନେଇ ସାରିଥିଲି
ଜୀବନ୍ତ କବର ।
ଆକାଶକୁ ଛାତ, ଦିଗ୍ବଳୟକୁ କାନ୍ଥ ଓ
ସ୍ୱପ୍ନକୁ ପୁଞ୍ଜି କିରି ନିଜ ପାଇଁ ଗଢ଼ୁଥିଲି ନୀଡ
ମୁଠେ ମାଟି, ପେନ୍ଥେ ଫୁଲକୁ ସାଉଁଟୁଥିଲି ଗଣ୍ଠିଧନ ପରି
ସଜେଇ ଜେବାକୁ ଜୀବନର ଉତ୍ତୁଙ୍ଗ ପାହାଡ଼ ।
ଏବେ ତ’ ତୁମେ ଦେଇଥିବା ଦି’ମୁଠା ସ୍ବପ୍ନକୁ
ଅଞ୍ଜଳୀ ତୋଳି ବିକି ଦେଇଛି ଜହ୍ନ ରାଇଜକୁ
ମୋ ଶୂନ୍ୟ ନୀଡ ଆଗରେ ଝୁଲାଇଛି ‘ନିଷିଦ୍ଧାଞ୍ଚଳ’ର ଫଳକ
କାଳେ କେବେ ମୋ ଠିକଣା ପାଇଯିବ ବୋଲି,
ଦେଇଥିବା ଦି’ମୁଠା ସ୍ବପ୍ନ ବଦଳରେ
ମୋ’ଠୁ କିଛି ମାଗିନେବ ବୋଲି । ।
Enjoy the sweetness of Odia Poem. Colors Of LIFE brings to you Odia Poem ‘ମାଟି ଓ ଫୁଲର କବିତା 💘| Mato O Fulara Kabita – It is a heart-touching odia poem by Prakash Ranjan Parida.