Updated 20/07/2022
କୋରୋନା ମହାମାରୀ (Coronavirus pandemic) ଓ ମଙ୍କିପକ୍ସ (Monkeypox)ର ବିସ୍ତାର ମଧ୍ୟରେ ଆଉ ଏକ ମାରାତ୍ମକ ଭାଇରସ ଚିହ୍ନଟ ହୋଇଛି । ପଶ୍ଚିମ ଦକ୍ଷିଣ ଆଫ୍ରିକୀୟ ଦେଶ ଘାନାରେ ମାରବର୍ଗ ଭୂତାଣୁ ଚିହ୍ନଟ ହୋଇଛି । ସେନେଗାଲ ଲାବୋରେଟୋରୀରେ ଦୁଇଟି ମାମଲା ନିଶ୍ଚିତ ହୋଇଥିବାବେଳେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ମାରବର୍ଗ ଆତଙ୍କ ( Marburg Virus)
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରିପୋର୍ଟ ଅନୁଯାୟୀ, ପ୍ରଥମେ ଚିହ୍ନଟ ହୋଇଥିବା ୨୬ ବର୍ଷିୟ ଯୁବକ ଆକ୍ରାନ୍ତ ହେବାର ଗୋଟିଏ ଦିନ ପରେ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ । ସେହିପରି ଦ୍ୱିତୀୟ ମାମଲାରେ ଜଣେ ୫୧ ବର୍ଷିୟ ବୟସ୍କଙ୍କୁ ଜୁନ୍ ୨୮ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବଂ ସେହି ଦିନ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଭୂତାଣୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୯୮ ଜଣଙ୍କୁ ତୁରନ୍ତ କ୍ବାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଛି ।
ମାରବର୍ଗ ଭାଇରସ୍ କଣ? (What is Marburg virus)
ମାରବର୍ଗ ଭାଇରସ୍ ରୋଗ (MVD), ପୂର୍ବରୁ ମାରବର୍ଗ ରକ୍ତସ୍ରାବୀ ଜ୍ୱର ଭାବରେ ପରିଚିତ ଥିଲା । ଏହି ଭୟଙ୍କର ଭୁତାଣୁ ଇବୋଲା ପରି ଏକ ଫିଲୋଭାଇରସ୍ ଅଟେ । ଏହି ଭାଇରସ ପ୍ରଥମ ଥର ପାଇଁ 1967 ମସିହାରେ ମାରବର୍ଗ, ଫ୍ରାଙ୍କଫୋର୍ଟ୍, ବେଲଗ୍ରେଡ ଏବଂ ସର୍ବିଆରେ ବ୍ୟାପିବା ପରେ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ଏହି ରୋଗରେ ମୃତ୍ୟୁ ହାର ପ୍ରାୟ ୫୦% ରହିଛି। ତେଣୁ ଏହାକୁ ସାଙ୍ଘାତିକ ପର୍ଯ୍ୟାୟରେ ଗଣନା କରାଯାଉଛି ।
ମାରବର୍ଗ ଭୂତାଣୁ ରୋଗର ଲକ୍ଷଣଗୁଡ଼ିକ କ’ଣ?
ମାରବର୍ଗ ଭୂତାଣୁର ଲକ୍ଷଣ ୨ରୁ ୨୧ଦିନ ମଧ୍ୟରେ ଦେଖାଯାଇଥାଏ । ଏହାପରେ ଆକ୍ରାନ୍ତ ଜ୍ୱର, ମାଂସପେଶୀ ଯନ୍ତ୍ରଣା ଏବଂ ପ୍ରବଳ ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଦେଇଥାଏ । ପ୍ରାୟତଃ ତୃତୀୟ ଦିନରେ ରୋଗୀ ପେଟରେ ଯନ୍ତ୍ରଣା, ବାନ୍ତି ସମସ୍ୟା ଦେଖାଦେବା ପରେ ୫ରୁ ୭ଦିନ ମଧ୍ୟରେ ରୋଗୀ ନାକରୁ ରକ୍ତସ୍ରାବ ହୋଇଥାଏ । ଲକ୍ଷଣ ଆରମ୍ଭ ହେବାର ୮ରୁ ୯ଦିନ ମଧ୍ୟରେ ରୋଗୀମାନେ ମାତ୍ରାଧିକ ରକ୍ତସ୍ରାବ କାରଣରୁ ମୃତ୍ୟୁ ମୁଖରେ ପଡ଼ିବା ଆଶଙ୍କା ରହିଛି ।
ମାରବର୍ଗ ଭାଇରସର କିପରି ଚିକିତ୍ସା କରାଯାଏ?
ଏହି ଭାଇରସ ମ୍ୟାଲେରିଆ, ଟାଇଫଏଡ୍ ଏବଂ ଅନ୍ୟାନ୍ୟ ଭାଇରାଲ୍ ଜ୍ୱରର ଲକ୍ଷଣ ପରି ପ୍ରାୟତଃ ସମାନ । ପରୀକ୍ଷଣ ପରେ ହିଁ ଏହାକୁ ସଠିକ୍ ଭାବରେ ଚିହ୍ନଟ କରାଯାଇପାରିବ । ତେଣୁ ଯଦି ଆପଣ ଉପରୋକ୍ତ ଲକ୍ଷଣଗୁଡିକ ଅନୁଭବ କରନ୍ତି, ତେବେ ତୁରନ୍ତ ପରୀକ୍ଷା କରାଇନେବା ଉଚିତ୍ ।