ଆୟୁର୍ବେଦରେ ଉଭୟ ଘିଅ ଓ ମହୁକୁ ବେଶ୍ ଗୁରୁତ୍ୱ ଦିଆଯାଏ । କାରଣ ଉଭୟ ଖାଦ୍ୟ ମାନବ ଶରୀର ପାଇଁ ଅମୃତ ତୁଲ୍ୟ । କିନ୍ତୁ ଉଭୟ ଖାଦ୍ୟର ମିଶ୍ରଣ ଆୟୁର୍ବେଦ ଅନୁସାରେ ଅଖାଦ୍ୟ ବା ବିଷତୁଲ୍ୟ । ଖୁବଶୀଘ୍ର ଓଜନ ବଢ଼ାଇବା ପାଇଁ ମହୁକୁ କ୍ଷୀର ସହିତ ମିଶାଇ ସେବନ କରିବାକୁ ଆୟୁର୍ବେଦ ବିଶେଷଜ୍ଞ ପରାମର୍ଶ ଦେଉଥିବାବେଳେ ଘିଅ ସହିତ ମିଶାଇବାକୁ ବାରଣ କରିଥାନ୍ତି, ଯାହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି ।
ଦେଖିବାକୁ ଗଲେ ଉଭୟ ଘିଅ ଓ ମହୁରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି । ଏହାଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ । କାରଣ ଏହା ଶରୀର ପାଇଁ ହିଟିଂ ଏଜେଣ୍ଟ ପରି କାମ କରିଥାଏ । କିନ୍ତୁ ଏହାକୁ ମିଶ୍ରଣ କରି ଖାଇବାକୁ ବାରଣ କରାଯାଏ । ଏହାର ବୈଜ୍ଞାନିକ କାରଣ ହେଉଛି ଘିଅରେ ମହୁ ମିଶାଇବା ପରେ କ୍ଲୋଷ୍ଟିଡିୟମ ବୋଟୁଲିନମ ବ୍ୟାକ୍ଟେରିୟାର ଦ୍ରୁତ ବୃଦ୍ଧି ଘଟିଥାଏ । ଏହି ବ୍ୟାକ୍ଟେରିୟା ଶରୀରରେ ବିଷାକ୍ତ ରସାୟନ ସୃଷ୍ଟି କରିଥାଏ ।
ସମାନ ମାତ୍ରାରେ ମହୁ ଓ ଘିଅ ମିଶାଇ ଖାଇଲେ ଏହା ତୁରନ୍ତ ଶରୀରରେ ବିଷକ୍ରିୟା ସୃଷ୍ଟି କରିଥାଏ । ଖାଇବାର କିଛି ସମୟ ମଧ୍ୟରେ ବାନ୍ତି, ମୁଣ୍ଡବିନ୍ଧା ହୋଇଥାଏ । ଏପରିକି ଖାଲି ପାଣି ସହିତ ମଧ୍ୟ ସମାନ ପରିମାଣରେ ମହୁ ମିଶାଇ ପିଇବାକୁ ଆୟୁର୍ବେଦ ବିଶେଷଜ୍ଞ ବାରଣ କରିଥାନ୍ତି । ମହୁ ଗରମ ପର୍ଯ୍ୟାୟର ଖାଦ୍ୟ ହୋଇଥିବାରୁ ଏହାକୁ ଅନ୍ୟ ଗରମ ପର୍ଯ୍ୟାୟ ଖାଦ୍ୟ ସହିତ ମିଶାଇ ଖାଇବାକୁ ବାରଣ କରାଯାଏ ।
କ୍ଷୀରରୁ ଘିଅ ପ୍ରସ୍ତୁତ ହେଉଥିବାବେଳେ ପ୍ରାକୃତିକ ଉପାୟରେ ମହୁ ମିଳିଥାଏ । ଫୁଲ ରସକୁ ମହୁମାଛି ହିଁ ମହୁକୁ ରୁପାନ୍ତରିତ କରିଆନ୍ତି । ଯେଉଁଥିରେ ୩୫ରୁ ୪୦ ପ୍ରତିଶତ ଫ୍ରୃକଟୋଜ, ୨୫ରୁ ୩୫ ପ୍ରତିଶତ ଗ୍ଲୁକୋଜ, ସୁକ୍ରୋଜ ଓ ମାଲଟୋଜ ରହିଥାଏ । ମହୁରୁ ଯେଉଁ ଖଣିଜ ମିଳିଥାଏ, ଏହା ଅନ୍ୟ କୌଣସି ବି ମିଠା ପଦାର୍ଥରେ ନଥାଏ ।
ପଞ୍ଚାମୃତରେ ମହୁ ଓ ଘିଅ ମିଶିଲେ ବି ବିଷାକ୍ତ ହୁଏନାହିଁ କାହିଁକି?
ଏକଥାକୁ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଭାରତୀୟ ପରମ୍ପରାରେ ଅଧିକାଂଶ ପୂଜା ସମୟରେ ଓ ମନ୍ଦିରରେ ହେଉଥିବା ପଞ୍ଚାମୃତରେ ଘିଅ ଓ ମହୁ ମିଶୁଥାଏ । ଶ୍ରଦ୍ଧାଳୁମାନେ ଏହାକୁ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି । କିନ୍ତୁ ଏହା କିପରି ବିଷାକ୍ତ ହୋଇନଥାଏ ? ଏହାର କାରଣ ପଞ୍ଚାମୃତରେ ଘିଅ ଓ ମହୁ ସମାନ ପରିମାଣରେ ମିଶିନଥାଏ । ଦ୍ୱିତୀୟତଃ ଘିଅ, ମହୁ ବ୍ୟତୀତ ଏଥିରେ କ୍ଷୀର, ଦହି ଓ ଗୁଡ଼ ମିଶ୍ରଣ ହୋଇଥାଏ । ତୃତୀୟତଃ ପ୍ରସାଦ ଭାବେ ଖୁବ କମ୍ ପରିମାଣରେ ଲୋକେ ଏହାକୁ ସେବନ କରିଥାନ୍ତି । ତେଣୁ ଏହା ଶରୀରରେ ବିଷ କ୍ରିୟା ସୃଷ୍ଟି କରିନଥାଏ ।