୪୨ ଦିନ ଯାଏ ଦେଶ-ବିଦେଶରେ ଚାଲିବ ‘ଆୟୁର୍ବେଦ ଦିବସ ୨୦୨୨’ କାର୍ଯ୍ୟକ୍ରମ


42-day-or-6-week-long-ayurveda-day-2022-programme-colors-of-life

ଆୟୁର୍ବେଦ ଦିବସ ୨୦୨୨: ଆୟୁଷ ମନ୍ତ୍ରାଳୟର ଏହି ଅଭିଯାନରେ କେନ୍ଦ୍ର ସରକାରଙ୍କ ପ୍ରାୟ ୧୯ଟି ମନ୍ତ୍ରାଳୟ ଯୋଡ଼ି ହୋଇଛନ୍ତି । ଯେଉଁ ପ୍ରୟାସ ଆୟୁର୍ବେଦ ଅଭିଯାନକୁ ପ୍ରତି ଘରେ ଘରେ ପହଞ୍ଚାଉଛନ୍ତି ।

‘ଆୟୁର୍ବେଦ ଦିବସ ୨୦୨୨’ ପ୍ରୋଗ୍ରାମ୍ ଥିମ୍: ହର୍ ଦିନ୍ ହର୍ ଘର୍-ଆୟୁର୍ବେଦ’

ଚଳିତ ବର୍ଷ ଆୟୁର୍ବେଦ ଦିବସ (Ayurveda Day 2022) କାର୍ଯ୍ୟକ୍ରମକୁ ଏକ ଜନଆନ୍ଦୋଳନ ରୂପ ଦେବା ପାଇଁ ପ୍ରୟାସ କରିଛି ଆୟୁଷ ମନ୍ତ୍ରାଳୟ । ଜନସାଧାରଣଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଆୟୁଷ ମନ୍ତ୍ରାଳୟ ଉଦ୍ୟମ କରିଛି । ୧୨ ସେପ୍ଟେମ୍ବରରୁ ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (AIIA)ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ମହେନ୍ଦ୍ର ମୁଞ୍ଜପାରାଙ୍କ ଉପସ୍ଥିତିରେ ଅଭିଯାନର ଶୁଭାରମ୍ଭ ହୋଇଛି ।

ଦେଶର ପ୍ରାଚୀନ ଚିକିତ୍ସା ବ୍ୟବସ୍ଥାକୁ ଦେଶର ପ୍ରତି ପରିବାର ପାଖରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଅଭିଯାନକୁ ସଫଳ କରିବା ପାଇଁ ଛଅ ସପ୍ତାହ ଯାଏ କାର୍ଯ୍ୟକ୍ରମ ଜାରି ରହିବ । ଆୟୁର୍ବେଦର ଉପଯୋଗ ସହିତ ସାମଗ୍ରିକ ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ସମସ୍ତ ମନ୍ତ୍ରାଳୟ ଏକତ୍ରିତ ହୋଇ ଆୟୁର୍ବେଦର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ଛଅ ସପ୍ତାହ (ସେପ୍ଟେମ୍ବର ୧୨ରୁ ଅକ୍ଟୋବର ୨୩) ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଆୟୋଜିତ ହେଉଛି। ଏଥିପାଇଁ ସମସ୍ତ ମନ୍ତ୍ରାଳୟର ସହଯୋଗ ନିଆଯାଉଛି। ଆୟୁଷ ମନ୍ତ୍ରଣାଳୟର ଏହି ଅଭିଯାନ ସହିତ କେନ୍ଦ୍ର ସରକାରଙ୍କ ପ୍ରାୟ ୧୯ଟି ମନ୍ତ୍ରାଳୟ ଜଡିତ ଅଛନ୍ତି । ଯାହା ପ୍ରତିଦିନ ଆୟୁର୍ବେଦ ଅଭିଯାନକୁ ନିଜ ନିଜ ସ୍ତରରେ ଆଗକୁ ବଢ଼ାଉଛନ୍ତି, କାର୍ଯ୍ୟକ୍ରମର ବିସ୍ତୃତ ରୂପରେଖ ପ୍ରସ୍ତୁତି ହୋଇଛି ।

‘ହର ଦିନ ହର ଘର-ଆୟୁର୍ବେଦ’ ରହିଛି ଆୟୁର୍ବେଦ ଦିବସ ୨୦୨୨ କାର୍ଯ୍ୟକ୍ରମର ଥିମ୍

‘ହର ଦିନ ହର ଘର -ଆୟୁର୍ବେଦ’ ଥିମ୍ ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଜନ ସନ୍ଦେଶ, ଜନ ଭାଗିଦାରୀ ଏବଂ ଜନ ଆନ୍ଦୋଳନ ଏପରି ତିନି ଭାଗରେ ବିଭକ୍ତ କରାଯାଇଛି। ଆୟୁଷ ମନ୍ତ୍ରାଳୟ ଆୟୁର୍ବେଦ ଦିବସ ଅଭିଯାନକୁ ସଫଳ କରିବା ପାଇଁ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (AIIA) କୁ ନୋଡାଲ୍ ଏଜେନ୍ସି ଭାବରେ ଚୟନ କରିଛି । ଜନ ଜାଗରଣ ସୃଷ୍ଟି କରିବାକୁ ଏସଏମଏସ ମେସେଜ, ରେଡିଓ ଜିଙ୍ଗଲ୍ସ, ଏଫଏମ ରେଡିଓ, ଟିଭି ସ୍ପଟ, ଏଲଇଡି, ଫିଲ୍ମ ଏବଂ ପ୍ରିଣ୍ଟ ମିଡିଆରେ ସାରା ଦେଶରେ ସନ୍ଦେଶ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି । ଜନସାଧାରଣଙ୍କ ଅଂଶଗ୍ରହଣରେ ଦେଶର ୭୫ଟି ସ୍ଥାନରେ ପ୍ରକୃତି ପରୀକ୍ଷା ଶିବିର ଆୟୋଜନ କରାଯାଉଛି । ଏହାବ୍ୟତୀତ ଅଙ୍ଗନୱାଡି, ଏନଏସଏସ ଏବଂ ଖାଦ୍ୟ ମହୋତ୍ସବ, ସଙ୍ଗୀତ କନସର୍ଟ ସମେତ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦ ବିଷୟରେ ସଚେତନତା ଅଭିଯାନ କରାଯାଉଛି। ଜନ ଆନ୍ଦୋଳନ ସୃଷ୍ଟି ଲକ୍ଷ୍ୟରେ ସମସ୍ତ ରାଜ୍ୟର ଗ୍ରାମ ପଞ୍ଚାୟତରେ ପୋଷ୍ଟର ଲଗାଯାଇଛି, ସେଲଫି ପଏଣ୍ଟ ମଧ୍ୟ କରାଯାଇଛି ।

କେଉଁ ମନ୍ତ୍ରାଳୟକୁ ଦିଆଯାଇଛି ଦାୟିତ୍ୱ?

ଯୋଗ ପରି ଆୟୁର୍ବେଦକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାକୁ ଅଭିଯାନରେ ବିଭିନ୍ନ ମନ୍ତ୍ରାଳୟକୁ ସାମିଲ କରାଯାଇଛି । ଯେଉଁଥିରେ ପ୍ରାୟ ୧୯ଟି ମନ୍ତ୍ରାଳୟ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ଉତ୍ତର ପୂର୍ବାଞ୍ଚଳଠାରୁ ପଞ୍ଚାୟତିରାଜ ପର୍ଯ୍ୟନ୍ତ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଭୂକ୍ତ ହୋଇଛି। ୪୨ ଦିନିଆ କାର୍ଯ୍ୟକ୍ରମରେ ରେଳ ଷ୍ଟେସନ, ବିମାନ ବନ୍ଦରରେ ଏଲଇଡି ପ୍ରଦର୍ଶନ, ଟିକେଟ୍ ଉପରେ QR ରୋଡ୍ ପ୍ରକାଶ କରାଯାଉଛି । ଏହାସହିତ ବିଦେଶରେ ବୈଦେଶିକ ମନ୍ତ୍ରାଳୟ ମାଧ୍ୟମରେ ଭାରତୀୟ ଦୂତାବାସ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେହିଭଳି ପ୍ରତିରକ୍ଷା, ଗୃହ, ବାଣିଜ୍ୟ, ସଂସ୍କୃତି ମନ୍ତ୍ରଣାଳୟ ସମେତ ମୋଟ ୧୯ଟି ମନ୍ତ୍ରାଳୟ ଅଭିଯାନକୁ ଆଗେଇ ନେଉଛନ୍ତି ।

ଛଅ ସପ୍ତାହ କାର୍ଯ୍ୟକ୍ରମର ରୂପରେଖ
  • ସେପ୍ଟେମ୍ବର ୧୨ରୁ ୧୮: ହୋଲିଷ୍ଟିକ୍ ସ୍ୱାସ୍ଥ୍ୟ
  • ୧୯ରୁ ୨୫ ସେପ୍ଟେମ୍ବର: ସୁଖିଲା ଶସ୍ୟ
  • ୨୬ ସେପ୍ଟେମ୍ବରରୁ ୨ ଅକ୍ଟୋବର: ଆୟୁର୍ବେଦ ଡାଏଟ୍
  • ଅକ୍ଟୋବର ୩ରୁ ୯: ବରିଷ୍ଠ ନାଗରିକ ଏବଂ ଆୟୁର୍ବେଦ
  • ଅକ୍ଟୋବର ୧୦ରୁ ୧୬: ମାନସିକ ସ୍ୱାସ୍ଥ୍ୟ
  • ୧୭ରୁ ୨୩ ଅକ୍ଟୋବର: ଆୟୁର୍ବେଦ ଉପରେ ଅଭିଜ୍ଞତା
Share this

Leave a Reply

Your email address will not be published. Required fields are marked *